କାନପୁର: ଭଗବାନଙ୍କୁ ଫୁଲ ଅର୍ପଣ ପରେ କେବେ ଭାବିଛନ୍ତି କି ଏ ଫୁଲ କଣ ହୁଏ ? କେବେ ଚିନ୍ତା କରିଛନ୍ତି କି ମଉଳିଯାଇଥିବା ଫୁଲକୁ କେଉଁଠି ଫିଙ୍ଗାଯାଏ ? ଠିକ ଏଭଳି ଏକ ପ୍ରଶ୍ନ କାନପୁରର ଜଣେ ଯୁବକଙ୍କ ମନକୁ ଆସିଥିଲା | ଆଉ ଯେତେବେଳେ ସେ ମଉଳା ଫୁଲକୁ ନଦୀରେ ଫିଙ୍ଗାଯାଉଥିବାର ଦେଖିଥିଲେ ସେତେବେଳେ ବାସି ଫୁଲକୁ ନେଇ ଉଦ୍ୟୋଗଟିଏ ସ୍ଥାପନ କରିବାକୁ ମନ ବଳାଇଥିଲେ | ଏହି ଯୁବକଙ୍କ ନାମ ହେଉଛି ଅଙ୍କିତ ଅଗ୍ରୱାଲ | ଅଟୋମେସନ ବୈଜ୍ଞାନିକ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିବା ଅଙ୍କିତ ୨୦୧୫ ମସିହାରେ ମକର ସଂକ୍ରାନ୍ତି ଦିନ ଯେତେବେଳେ ଗଙ୍ଗା ନଦୀରେ ଟନ ଟନ ବାସି ଫୁଲ ଭାସୁଥିବାର ଦେଖିଥିଲେ ଓ ନଦୀ କିଭଳି ପ୍ରଦୂଷିତ ହେଉଛି ଜାଣିଥିଲେ ସେତେବେଳେ ଏହି ବାସି ଫୁଲକୁ କିଭଳି ପୁନଃ ବ୍ୟବହାର କରାଯାଇପାରିବ ସେ ନେଇ ଭାବିଥିଲେ |

ଜଣେ ବନ୍ଧୁଙ୍କ ଉପଦେଶକ୍ରମେ ବାସୀଫୁଲରୁ ବି ଧୂପକାଠି ପ୍ରସ୍ତୁତ କରିହେବ ବୋଲି ଜାଣିଥିଲେ | ଏହା ପରେ ମାତ୍ର ୭୨ ହଜାର ଟଙ୍କା ନିବେଶ କରି ଧୂପକାଠି ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ | ଫୁଲ ଡଟ କୋ ନାମରେ କମ୍ପାନୀଟିଏ ପ୍ରତିଷ୍ଠା କରି ସ୍ଥାନୀୟ ଅଞ୍ଚଳର ମହିଳାଙ୍କୁ କିଭଳି ଆର୍ଥିକ କ୍ଷେତ୍ରରେ ସ୍ଵଛଳ କରିହେବ ସେ ଲକ୍ଷ୍ୟ ନେଇ ମହିଳା ଶ୍ରମିକମାନଙ୍କୁ ସାମିଲ କରିଥିଲେ | ସେମାନଙ୍କୁ ତାଲିମ ଦେବା ସହ ମଉଳା ଫୁଲକୁ ଶୁଖାଇ ଗୁଣ୍ଡ କରି ଧୂପକାଠି ପାଇଁ କଞ୍ଚାମାଲ ପ୍ରସ୍ତୁତ କରି ସୁଗନ୍ଧ ଦ୍ରବ୍ୟ ମିଶାଇଥିଲେ | ଏହା ପରେ ଆକର୍ଷଣୀୟ ପ୍ୟାକେଟ ମାଧ୍ୟମରେ ଅନଲାଇନ ବିକ୍ରି ଆରମ୍ଭ କରିଥିଲେ |

 ଆଉ ଅଙ୍କିତଙ୍କ ଏହି ଉଦ୍ୟୋଗ ଏବେ କୋଟି କୋଟି ଟଙ୍କାର ସାମ୍ରାଜ୍ୟରେ ପରିଣତ ହୋଇଥିବାବେଳେ ଶତାଧିକ କର୍ମଚାରୀ ନିଯୁକ୍ତି ପାଇଛନ୍ତି | ବାସି ଫୁଲରୁ ସୁଗନ୍ଧିତ ଧୂପକାଠି, ମହିଳା ସଶକ୍ତିକରଣ ଓ ଗଙ୍ଗା ନଦୀକୁ ସୁରକ୍ଷା ଭଳି ମୁଖ୍ୟତଃ ତିନିଟି ଲକ୍ଷ୍ୟ ନେଇ କାମ ଆରମ୍ଭ କରିଥିବା ଅଙ୍କିତ ଏବେ ଏହି କାମରେ ହିଁ ଲାଗିଛନ୍ତି | ତାଙ୍କୁ ମିଳିତ ଜାତିସଂଘର ଯୁବ ନେତୃତ୍ୱ ପୁରସ୍କାର ମିଳିଛି । ସେହିପରି ୨୦୧୮ ରେ ତାଙ୍କ ନାମ ଫୋର୍ବସ୍ ତାଲିକାରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା | ଫୁଲ ଡଟ କୋ ବର୍ତ୍ତମାନ ମଥୁରା ଏବଂ ବୃନ୍ଦାବନରୁ ଫୁଲ ସଂଗ୍ରହ କରୁଛି | ଆଗାମୀ କିଛି ଦିନ ମଧ୍ୟରେ ୫୦୦୦ ମହିଳାଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଅଙ୍କିତ କହିଛନ୍ତି |