ବେଙ୍ଗାଲୁର: ଦାର୍ଶନିକ ରାଲ୍ଫ ୱାଲଡୋ ଏମରସନଙ୍କର ଏକ ଉକ୍ତି ମନେ ପଡ଼େ, ‘ଜଣେ ବ୍ୟକ୍ତି ନିଜ ଲକ୍ଷ୍ୟ ସାଧନ ପାଇଁ ନିଜର ସର୍ବସ୍ବ ଲଗାଇ ଦେଲେ ପୂରା ବିଶ୍ବ ତା’ ନିକଟକୁ ଚାଲିଆସେ’। ଏହି ଉକ୍ତିର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ବେଙ୍ଗାଲୁରୁର ଶିବ କୁମାର ନାଗେନ୍ଦ୍ର।
ବିଭିନ୍ନ ପ୍ରକାରର ଚିନ୍ତା ଓ ଆର୍ଥିକ ଅଭାବ ସତ୍ତ୍ବେ ନିଜ ପାଠପଢ଼ାକୁ ନେଇ ଟିକେ ଅଧିକ ସଚେତନ ଥିଲେ ଶିବ କୁମାର, ଯାହାକି ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ବାପାମାଆଙ୍କୁ ଗର୍ବିତ କରାଇଛି। ନିଜର ଛୋଟ ଛୋଟ ଖର୍ଚ୍ଚ ତୁଲାଇବାକୁ ଖବର କାଗଜ ବିକ୍ରି କରୁଥିବା ଶିବ କୁମାର ୨୦୧୩ ମସିହାରେ କ୍ୟାଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇଆଇଏମ୍–କଲିକତାରେ ଦାଖଲ ଲାଗି ହାସଲ କରିବା ପରେ ସମସ୍ତଙ୍କୁ ଚକିତ କରିଛନ୍ତି।
ମୈଶୁରରେ ଜନ୍ମଗ୍ରହଣ କରିଥିବା ଶିବଙ୍କ ବାପାମାଆ ତାଙ୍କ ଜନ୍ମ ପରେ ବେଙ୍ଗାଲୁରୁ ଚାଲି ଯାଇଥିଲେ ଏବଂ ସେହିଠାରେ ହିଁ ସେମାନେ ସମସ୍ତେ ରହିଥିଲେ। ସେ ସମୟରେ ଶିବଙ୍କ ବାପା ଡ୍ରାଇଭର୍ ଥିବା ବେଳେ ତାଙ୍କ ମାଆ ଘରେ ରହି ତାଙ୍କର ଓ ତାଙ୍କ ଭଉଣୀଙ୍କର ଯତ୍ନ ନେଉଥିଲେ। ଶିବ କୁମାରଙ୍କୁ ତାଙ୍କ ମାଆ ତାଙ୍କ ସକ୍ଷମ ହିସାବରେ ଏକ ଇଂରାଜି ମାଧ୍ୟମିକ ସ୍କୁଲ୍ରେ ଭର୍ତ୍ତି କରାଇଲେ। ସେ କହନ୍ତି କି ତାଙ୍କ ମାଆ ବିଶ୍ବାସ କରୁଥିଲେ ଯେ ଶିକ୍ଷା ହେଉଛି ସଫଳତାର ଏକମାତ୍ର ଚାବି କାଠି। ଶିବ କୁମାର ବି ଜଣେ ଭଲ ଛାତ୍ର ଥିଲେ। ସେ ପିଲାଦିନରୁ ସର୍ବଦା ଭଲ ନମ୍ବର ରଖି ଆସୁଥିଲେ।
ନିଜ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ଚତୁର୍ଥ ଶ୍ରେଣୀରୁ ଖବରକାଗଜ ବିତରଣ କରିବା ଆରମ୍ଭ କରିଥିଲେ। ସେତେବେଳେ ସେ ସ୍କୁଲ୍ ଯିବା ପୂର୍ବରୁ ଘର ପାଇଁ କିଛି ଅର୍ଥ ରୋଜଗାର କରି ଦେଇ ଯାଉଥିଲେ। ଏପରି କରି ସେ ସେତେବେଳ ସମୟରେ ମାସକୁ ୧୦୦ ଟଙ୍କା ରୋଜଗାର କରୁଥିଲେ, ଯାହାକି ତାଙ୍କ ପରିବାର ପାଇଁ ଖୁବ୍ ଉପକାରୀ ସାବ୍ୟସ୍ତ ହେଉଥିଲା। ବାପାମାଆଙ୍କ ଅବସ୍ଥା ଜାଣି ତାଙ୍କୁ ଟଙ୍କା ମାଗିବାକୁ ସଂକୋଚ ମନେ କରୁଥିବା ଶିବ କୁମାର ପିଲାଟି ଦିନରୁ ନିଜ ହାତ ଖର୍ଚ୍ଚ ନିଜେ ତୁଲାଉଥିଲେ।
କୌଣସି ବି କାମକୁ ଛୋଟ ବୋଲି ଭାବି ନଥିବା ଶିବ କାର୍ ଧୋଇବାରୁ ଆରମ୍ଭ କରି, ଫୁଲ ବିକ୍ରି କରିବା ଓ ଛୋଟ ଦୋକାନରେ କାମ କରିବା ଆଦି ସବୁ କରିଛନ୍ତି। ସେ ଦଶମ ଶ୍ରେଣୀରେ ପଢ଼ିବା ବେଳେ ସେ ଏକ ଖବରକାଗଜ ଡିଲରସିପ୍ କିଣିବାର ସୁଯୋଗ ପାଇଲେ। ଏ ନେଇ ଶିବ କୁମାର କହନ୍ତି ଯେ ଦୀର୍ଘ ବର୍ଷ ଧରି ବିତରଣରେ କାର୍ଯ୍ୟ କରି ସେ ସମସ୍ତ ବିଷୟରେ ତାଙ୍କର ଜ୍ଞାନ ଆସି ଯାଇଥିଲା। ଡିଲରସିପ୍ କିଣିବା ତାଙ୍କ ପାଇଁ ଏକ ଉତ୍ତମ ସୁଯୋଗ ଥିଲା।
ଏହି ସୁଯୋଗ ମିଳିବା ପରେ ସେ ତାଙ୍କ ମାଆଙ୍କର କିଛି ସୁନା ଅଳଙ୍କାର ବିକ୍ରୟ କରି ଡିଲରସିପ୍ ପାଇଁ ପ୍ରଥମ କିସ୍ତି ଏକାଠି କଲେ। ଧୀରେ ଧୀରେ ବେପାର ବଢ଼ିବାରେ ଲାଗିଲା। ଏବେ ସେହି ଡିଲର୍ସିପ୍କୁ ତାଙ୍କ ବାପା ଚଳାଉଛନ୍ତି।
ଶିବ ତାଙ୍କ ଦୁଃଖ ଦିନର କଥା ମନେ ପକାଇ କୁହନ୍ତି କି ତାଙ୍କୁ ୧୩ ବର୍ଷ ହୋଇଥିବା ବେଳେ ତାଙ୍କ ବାପାଙ୍କର ଏକ ଦୁର୍ଘଟଣା ଘଟିଲା। ସେ ଆଉ ରୋଜଗାର କରିପାରିଲେ ନାହିଁ। ପରିବାର ଆର୍ଥିକ ସଂକଟ ଦେଇ ଗତି କରୁଥିବା ବେଳେ ତାଙ୍କୁ ମଧ୍ୟ ସ୍କୁଲ୍ ଫି ଦେବାକୁ ଥାଏ। ସେହି ସମୟରେ ସେମାନେ ଖୁବ୍ ହଇରାଣରେ ଚଳୁଥିଲେ।
ଶିବ ସେତେବେଳେ ନିଜ ସମସ୍ୟା ସେ ଖବରକାଗଜ ଡିଲରସିପ୍ କରୁଥିବା ବ୍ୟକ୍ତିଙ୍କୁ ଜଣାଇଥିଲେ। ବ୍ୟକ୍ତି ଜଣଙ୍କୁ ତାଙ୍କ ପାଠ ପଢ଼ିବାରେ ସାହାଯ୍ୟ କରିବାକୁ ନିବେଦନ କଲେ। ସେ ପ୍ରଥମେ ଶିବଙ୍କ କଥାକୁ ବିଶ୍ବାସ କଲେ ନାହିଁ। ଯେତେବେଳେ ଜାଣିବାକୁ ପାଇଲେ ଯେ ଶିବ ବାସ୍ତବରେ ସତ କହୁଛନ୍ତି ଶ୍ରେଣୀରେ ପ୍ରଥମ ମଧ୍ୟ ହେଉଛନ୍ତି ତ ବ୍ୟକ୍ତି ଜଣକ ତାଙ୍କୁ ସହାୟତାର ହାତ ବଢ଼ାଇଲେ। ସେହି ଦିନଠାରୁ ଉଚ୍ଚ ଶିକ୍ଷା ଅଧ୍ୟୟନ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ସେ ବ୍ୟକ୍ତି ଜଣକ ତୁଲାଉଥିଲେ।
ସେହି ବ୍ୟକ୍ତିଙ୍କ ବିଷୟରେ ଶିବଙ୍କ ମାଆବାପା କହନ୍ତି, ‘ସେ ଆମ ପୁଅର ଅଭିଭାବକ ଭଳି। ସେ କେବଳ ଆର୍ଥିକ ସହାୟତା କରିନାହାନ୍ତି ବରଂ ଶିବଙ୍କୁ ପ୍ରତ୍ୟେକ ପଦକ୍ଷେପରେ ମାର୍ଗଦର୍ଶନ ମଧ୍ୟ କରିଛନ୍ତି। ଆମ ପ୍ରତି ତାଙ୍କର ଅବଦାନ ପାଇଁ ଆମେ କୃତଜ୍ଞ।’
ଯାହାବି ହେଉ, ୨୦୧୩ ମସିହାରେ ଶିବଙ୍କର ବେଙ୍ଗାଲୁର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଇଞ୍ଜିନିୟରିଂ ସରିବାକୁ ଥାଏ। ସେହିବର୍ଷ ସେ କ୍ୟାଟ୍ ପରୀକ୍ଷାରେ ୯୯.୮୬ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଆଜି ଶିବ ବେଙ୍ଗାଲୁରୁର ଏକ କର୍ପୋରେଟ୍ ହାଉସ୍ରେ କାମ କରୁଛନ୍ତି।