ନୂଆଦିଲ୍ଲୀ: ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଡକ୍ଟର ଜଗତ ରାମଙ୍କ ନାମ ହୁଏତ ଆପଣ ଶୁଣିଥିବେ। ସେ ଭାରତର ସର୍ବୋଚ୍ଚ ମେଡିକାଲ୍ ପ୍ରଫେସନାଲମାନଙ୍କ ମଧ୍ୟରୁ ଅନ୍ୟତମ। ପଦ୍ମଶ୍ରୀ ସମେତ ଡକ୍ଟର ରାମ ୩୫ରୁ ଅଧିକ ଜାତୀୟ ତଥା ଆନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି। ଜଣେ ସାଧାରଣ କୃଷକ ପରିବାରର ପୁଅ ଜଗତ ରାମ ବିଶ୍ବର କେତେ ଜଣ ବଛା ବଛା ଡାକ୍ତରଙ୍କ ତାଲିକାରେ କିଭଳି ନିଜ ନାମ ସାମିଲ କରି ପାରିଛନ୍ତି ତାହା ନିଶ୍ଚୟ ଏକ ପ୍ରେରଣାଦାୟକ କଥା।
ହିମାଚଳ ପ୍ରଦେଶର ଏକ ଛୋଟ ଗାଁରେ ବାସ କରୁଥିବା ଏକ ଗରିବ କୃଷକ ପରିବାରରୁ ଭାରତରେ ଡାକ୍ତରୀ ବିଜ୍ଞାନର ଅଗ୍ରଗାମୀ ହେବା ପର୍ଯ୍ୟନ୍ତ ଡକ୍ଟର ରାମଙ୍କୁ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିବାକୁ ପଡ଼ିଛି। ହିମାଚଳ ପ୍ରଦେଶର ସିର୍ମୌର ଜିଲ୍ଲାର ପାବିୟାନା ନାମକ ଏକ ଗାଁରେ ଜନ୍ମଗ୍ରହଣ କରିଥିବା ଜଗତ ରାମ୍ ଗାଁର ଅନ୍ୟ ଲୋକଙ୍କ ପରି ନିଜ ପାଇଁ ଏକ ସାଧାରଣ ଜୀବନ କଳ୍ପନା କରିଥିଲେ। ତାଙ୍କୁ ସ୍କୁଲ୍ ଯିବା ପାଇଁ ପ୍ରତିଦିନ ୯ରୁ ୧୦ କିଲୋମିଟର ପାଦରେ ଯାତ୍ରା କରିବାକୁ ପଡୁଥିଲା। ରାମ୍ ପାଠ ପଢୁଥିବା ଗ୍ରାମୀଣ ସରକାରୀ ବିଦ୍ୟାଳୟରେ ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବାର ସୁବିଧା ଥିବା ହେତୁ ସେ ୧୯୭୧ ମସିହାରେ ଘରଠାରୁ ୪୦ କିଲୋମିଟର ଦୂରରେ ରହି ଦଶମ ପଢ଼ିଥିଲେ।
ଘରଛାଡ଼ି ହଷ୍ଟେଲ୍ରେ ରହୁଥିବା ରାମ୍ଙ୍କ ପାଇଁ ତାଙ୍କ ବାପା କହିଥିବା ଉକ୍ତି, ‘କଠିନ ପରିଶ୍ରମ ହେଉଛି ସଫଳତାର ଏକମାତ୍ର ଉପାୟ’ ବେଶ୍ ପ୍ରୋତ୍ସାହନ ଦେଇଥିଲା ସେ ସମୟରେ। ଦଶମ ପରେ ସେ କ’ଣ କରିବେ ପ୍ରଥମେ ଚିନ୍ତା କରିପାରି ନଥିଲେ। ସେ ଦଶମରେ ଭଲ ନମ୍ବର ରଖିଥିବାରୁ ତାଙ୍କର ଜଣେ ଶିକ୍ଷକ ତାଙ୍କୁ ଡାକ୍ତରୀ କ୍ଷେତ୍ରରେ ଅଧ୍ୟୟନ ପାଇଁ ପରାମର୍ଶ ଦେଇଥିଲେ। ଯାହାବି ହେଉ, ୧୯୭୮ ମସିହାରେ ସେ ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜରୁ ସଫଳତାର ସହ ଏମ୍ବିବିଏସ୍ ଶେଷ କଲେ।
ଡକ୍ଟର ରାମ୍ଙ୍କ କହିବା କଥା, ସେ ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ(ପିଜିଆଇଏମ୍ଇଆର୍)କୁ ଆସିବା ପରେ ତାଙ୍କ ଭାଗ୍ୟ ପରିବର୍ତ୍ତନ ହେଲା। ସେ ବିଶ୍ବାସ କରନ୍ତି ଯେ ଆଜି ଯଦି ସେ ଜଣେ ନିଖୁଣ ଡାକ୍ତର ହୋଇ ପାରିଛନ୍ତି ତେବେ ତାହାର ଶ୍ରେୟର ହକ୍ଦାର ପିଜିଆଇଏମ୍ଇଆର୍। ସେ ୧୯୭୯ ମସିହାରେ ପିଜିଆଇଏମ୍ଇଆର୍ରେ ଚକ୍ଷୁ ଚିକିତ୍ସା ଅଧ୍ୟୟନ ପାଇଁ ଆବେଦନ କଲେ। ସେଠାରେ କୃତ୍ତକାର୍ଯ୍ୟ ହେବା ପରେ ୧୯୯୪ ମସିହାରେ ସେ ଜଣେ ପ୍ରତିଷ୍ଠିତ ଅଧ୍ୟାପପକ ଭାବେ ନିଯୁକ୍ତି ପାଇଲେ। ୨୦୧୫ ମସିହାରେ ସେ ବିଭାଗ ମୁଖ୍ୟ ହୋଇଥିବା ବେଳେ ଶେଷରେ ୨୦୧୭ ମସିହାରେ ସେ ହୋଇଥିଲେ ପିଜିଆଇଏମ୍ଇଆରର ନିର୍ଦ୍ଦେଶକ।