ଚେନ୍ନାଇ: କରୋନା ମହାମାରୀ ପାଇଁ ଭାରତରେ ଲାଗୁ ହୋଇଥିବା ବିଭିନ୍ନ ପର୍ଯ୍ୟାୟ ଲକଡାଉନ ସଟଡାଉନ ସମୟରେ ବହୁତ ଲୋକ ନିଜ ଜୀବନ, ଜୀବିକା ଚାଲିଚଳଣକୁ କିଛି ମାତ୍ରାରେ ପରିବର୍ତ୍ତନ କରିଛନ୍ତି | ଲକଡାଉନରେ ଲୋକ ଭୋକିଲା ଥିଲାବେଳେ କେତେକଙ୍କ ଚାକିରି ଚାଲିଯାଇଥିଲା କେବେ ପୁଣି ହଜାର ହଜାର କିଲୋମିଟର ପାଦରେ ଚାଲିଚାଲି ପ୍ରବାସୀ ଶ୍ରମିକମାନେ ନିଜ ରାଜ୍ୟକୁ ଫେରିଥିଲେ | ଏହାରି ଭିତରେ କିନ୍ତୁ ଚେନ୍ନାଇର ଜଣେ ମହିଳାଙ୍କର ବୁଲା କୁକୁରଙ୍କ ପ୍ରତି ଥିବା ଭଲ ପାଇବା କମିନଥିଲା | ଆଜି ଆମେ ଆପଣଙ୍କୁ ଚେନ୍ନାଇର ମୀନାଙ୍କ କାହାଣୀ କହିବୁ , ଯିଏ କି ପୋଷା କୁକୁରଙ୍କ ପାଇଁ ନିଜକୁ ଭୋକିଲା ରଖିଥିଲେ ସତ କିନ୍ତୁ କୁକୁରମାନଙ୍କୁ ଦିନେ ବି ଭୋକିଲା ରହିବାକୁ ଦେଇନାହାନ୍ତି |

ଚେନ୍ନାଇର ମୀନା | ପର ଘରେ ଖାଦ୍ୟ ରୋଷେଇ କରି ନିଜ ଗୁଜୁରାଣ ମେଣ୍ଟାନ୍ତି | ଭଙ୍ଗା କୁଡ଼ିଆରେ ରହୁଥିଲେ ବି ପାଖାପାଖି ୧୩ଟି ବୁଲା କୁକୁର ମୀନାଙ୍କର ସାଙ୍ଗ ହୋଇ ରହିଛନ୍ତି | ଆଉ ଯେତେବେଳେ ଲକଡାଉନ ହୋଇଥିଲା ସେତେବେଳେ ବୁଲା କୁକୁରମାନେ ପର୍ଯ୍ୟାପ୍ତ ଖାଦ୍ୟ ଖାଇବାକୁ ପାଇନଥିଲେ | କାରଣ ଅଧିକାଂଶ ହୋଟେଲ ବନ୍ଦ ହୋଇଯିବା ଯୋଗୁଁ ଏମାନେ ଖାଦ୍ୟ ପର୍ଯ୍ୟାପ୍ତ ଭାବେ ପାଇନଥିଲେ | ଏଭଳି ସ୍ଥିତିରେ ମୀନା ନିଜ ସାଙ୍ଗମାନଙ୍କୁ କିଭଳି ଭୋକିଲା ରହିବାକୁ ଦେଇଥାନ୍ତେ |

ସେଥିପାଇଁ ନିଜେ ରୋଷେଇ କରୁଥିବା ଖାଦ୍ୟରୁ ଓଳିଏ ଖାଇ କୁକୁରମାନଙ୍କୁ ଖାଦ୍ୟ ଦେଇଥିଲେ | ପେଟରେ ଭୋକର ଜ୍ୱାଳା ଥିଲେ ବି ନିଜ ସାଙ୍ଗମାନଙ୍କ ପାଇଁ ପେଟପୁରା ଖାଦ୍ୟ କିଭଳି ଯୋଗାଡ କରିବେ ସେଥିପାଇଁ ମୀନା ଓଳିଏ ଖାଇ ଅନ୍ୟ ଓଳି ତକ ଉପାସ ରହିଥିଲେ | ଏହାକୁ ନେଇ ମୀନା କୁହନ୍ତି ଯେ ଘର ମାଲିକମାନେ ତାଙ୍କୁ କିଛି ଅଗ୍ରୀମ ଦରମା ଦେଇଥିଲେ | ଆଉ ୧୩ଟି କୁକୁର ତାଙ୍କ ପରିବାରର ସଦସ୍ୟ ହୋଇଥିବାରୁ ସେମାନଙ୍କୁ କିଭଳି ବା ଭୋକିଲା ରହିବାକୁ ଦେଇଥାନ୍ତେ | ମୀନାଙ୍କ କାହାଣୀ ହିଁ ବୟାନ କରେ ଏବେ ବି ମାନବିକତା ବଞ୍ଚିଛି, ଯିଏ କି ନିରୀହ ପ୍ରାଣୀଙ୍କ ପାଇଁ ନିଜେ ଭୋକିଲା ରୁହନ୍ତି |